Unknown

 

 

 

 

 

 

 

 

 

ସ୍ନାନୋତ୍ସବ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

 

(କବି ଦୀନକୃଷ୍ଣ ଥିଲେ ଜଗନ୍ନାଥଙ୍କ ପରମଭକ୍ତ । ପ୍ରଭୁଙ୍କ ପଦାରବିନ୍ଦରେ ସେ ନିଜକୁ ସମର୍ପି ଦେଇଥିଲେ । ଶ୍ରୀକ୍ଷେତ୍ରରେ ଜ୍ୟେଷ୍ଠମାସ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ସ୍ନାନଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଲକ୍ଷ ଲକ୍ଷ ଭକ୍ତ ପ୍ରଭୁଙ୍କର ଏହି ସ୍ନାନଯାତ୍ରା ଦେଖି ପାପ ଚକ୍ଷୁକୁ ପବିତ୍ର କରିଥା’ନ୍ତି । ସଂସାରର ପାପୀଜନଙ୍କୁ ପାପ-ପଙ୍କରୁ ଉଦ୍ଧାର କରିବା ପାଇଁ ସ୍ଵୟଂ ଜଗତର ନାଥ ବଡ଼ ଦାଣ୍ଡକୁ ଓହ୍ଲାଇ ଆସନ୍ତି । ଇଏ ଏକ ପବିତ୍ର ସ୍ନାନ ଯାତ୍ରା । ଭକ୍ତକବି ଦୀନକୃଷ୍ଣ, ପ୍ରଭୁଙ୍କ ସ୍ନାନ ଉତ୍ସବ ନ ଦେଖି ମନ ମଧ୍ୟରେ ଦୁଃଖ ପାଇଛନ୍ତି । ତାଙ୍କ ମନରେ ଅବସୋସ ରହିଛି ଏଥିପାଇଁ । ସ୍ନାନଯାତ୍ରା ଉତ୍ସବ ନ ଦେଖିବା ଜନିତ ଆକୁଳତା ଭାବ ତଥା ଉତ୍ସବର ବିଧିବିଧାନ ସଂପର୍କରେ କବି ନିଜର ମନୋଭାବକୁ ଏଠାରେ ପ୍ରକାଶ କରିଛନ୍ତି ।).

(ରାଗ - ସିନ୍ଧୁଡ଼ା)

କହେ ଦୀନକୃଷ୍ଣ ଶୁଣ ହେ ଧିକ ହେଉ ମୋ ଜୀବନ

କୋଟି ବ୍ରହ୍ମାଣ୍ଡନାଥ ସ୍ନାନ ଉତ୍ସବ କଲିନାହିଁ ଦରଶନ ସେ

କେଉଁ ଅଭାଗ୍ୟ ମୋର, କଲା ସେ ସୁଖ ବିହି ଅନ୍ତର ସେ

କହିବାକୁ ତ ନୋହେ ଗୋଚର ସେ

କହ କହ ମୋତେ ସେ ଉତ୍ତର ସେ ।୧।

ଖଦି ଚାମର ଆଲଟ ପଙ୍ଖା ଧରି ଖଟଣି ସାମନ୍ତମାନେ

ଖଗ ନୃପତିଙ୍କି ବିଜେ କରାଇବା ଦେଖିଲି ନାହିଁ ନୟନେ ସେ

କ୍ଷଣ କ୍ଷଣକେ ସୁଖ, ଖଣ୍ଡେ ଅଶେଷ ଜନ୍ମର ଦୁଃଖ ସେ

ଖେଦ-ତିମିର ଶୀତମୟୂଖ ସେ

ଖମଣ୍ଡଳେ ଦେଖୁଥିବେ ଲୋକ ସେ ।୨।

ଗୀତ ବାଦ୍ୟ ନୃତ୍ୟ ଆଦି ଅପ୍ରମିତ ଅନେକ ଚନ୍ଦ୍ର ଉଦିଆ

ଗହଳେ ଦିଗ ଦିହୁଡ଼ି ଲାଗି ହତ କରିବ ଚନ୍ଦ୍ରଉଦିଆ ସେ

ଗଲା ନ କହି ମୋତେ, ଗଞ୍ଜି ନୋହିବି ଅବା କେମନ୍ତେ ସେ

ଗଣୁଥାଇ ଏହି କଥା ଚିତ୍ତେ ସେ

ଗଙ୍ଗା ତେଜିଲି ତୃଷା ଆରତେ ସେ।୩।

ଘଟଣ ଆକାଶଙ୍କ ମଣ୍ଡଣି ମଣ୍ଡିତ ନୋହିଲା ବାରେ ଲୋକନ

ଘୋଷିଲି ନାହିଁ ଘନଶ୍ୟାମ ସୁନ୍ଦର ନାମ ଅମୃତ ସମାନ ସେ

ଘନଘଟା ଶବଦ, ଘେନି ମର୍ଦ୍ଦଳ ମଧୁର ନାଦ ସେ

ଘୋଟେ, ଯାହା ମୃଗମଦ ସେ

ଘୋଟି ଯାଉଥିବ ବିଷ୍ଣୁପଦ ସେ ।୪।

ନୟନାନନ୍ଦ ଶ୍ରୀ ନୀଳାମ୍ବର ଲୀଳା ବିଜେ ମତ୍ତ ସିଂହ ଠାଣି

ନ ପାରିଲି ଦେଖି ଆହା ସେ ଭଙ୍ଗିମା ନେତ୍ର ଭଙ୍ଗିମା ଚାହାଣି ସେ

ନିଶାକର ବଦନ, ନେତ୍ର ଚକୋର ସୁଖ ସଦନ ସେ

ନାନା ଦୁଃଖ ତିମିର ଛେଦନ ସେ

ନର ହୃଦ କୁମୁଦ ମୋଦନ ସେ ।୫।

ଭାବାର୍ଥ- (୧-୫) ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଉତ୍ସବ ଦର୍ଶନରୁ ବଞ୍ଚିତ ହୋଇ କବି ବିଷଣ୍ଣ ମନରେ କହୁଛନ୍ତି– ରେ ସଙ୍ଗୀତ, କୋଟି ବ୍ରହ୍ମାଣ୍ଡ ନାଥଙ୍କ ସ୍ନାନଯାତ୍ରା ଉତ୍ସବ ଦେଖିବାକୁ ଇଚ୍ଛା ଥିଲା; କିନ୍ତୁ ଦେଖି ପାରିନାହିଁ । ଧିକ୍‍ ମୋ ଜୀବନ ! ମୋ ଦୁର୍ଭାଗ୍ୟ, ବିଧାତା ଏପରି ଦର୍ଶନରୁ ବଞ୍ଚିତ କଲା । ଏହା କହିବାକୁ ତ ଗୋଚର ନୁହେଁ । ମୋତେ ତା’ର ଉତ୍ତର ଦିଅ । ଖଦି ଚାମର, ଆଲଟ ଚାମର ଧରି ଖଟଣି ସାମନ୍ତମାନେ ଗରୁଡ଼ଙ୍କୁ ବିଜେ କରାଇବା ଏ ନେତ୍ର ଦେଖିଲା ନାହିଁ । ସେ ଦୃଶ୍ୟରେ ଅଶେଷ ଜନ୍ମର ଦୁଃଖ ଦୂର ହୁଅନ୍ତା । ଆକାଶ ମଣ୍ଡଳରେ ଥାଇ ଦେବଗଣ ଏହାକୁ ଦେଖୁଥିବେ । ଗୀତ, ବାଦ୍ୟ ଓ ନୃତ୍ୟରେ ସମସ୍ତ ଶ୍ରୀକ୍ଷେତ୍ର କମ୍ପୁଥିବ । ଅନେକ ଚନ୍ଦ୍ରଉଦିଆ ଦିହୁଡ଼ି ଜଳୁଥିବ । ମୋତେ ନ କହି ଚାଲିଗଲା, ମୁଁ ଅବା କାହିଁକି ଗଞ୍ଜି ନ ହେବି ? ଏହି କଥା ମୁଁ ମନରେ ଭାବୁଛି । ତୃଷାରେ ଆତୁର ହୋଇ ଗଙ୍ଗାକୁ ଛାଡ଼ିଲି ।

ସ୍ନାନଯାତ୍ରା ଉତ୍ସବର ମଣ୍ଡଣି ଏ ନେତ୍ର ଦେଖିପାରିଲା ନାହିଁ । ଅମୃତ ସମାନ ସେଇ ଘନଶ୍ୟାମ ନାଁ । ତାକୁ ଘୋଷିଲି ନାହିଁ । ଉତ୍ସବର ଘନଘଟା ଶବ୍ଦ, ମର୍ଦ୍ଦଳର ମଧୁର ନାଦ ଶୁଣିବାରୁ ବଞ୍ଚିତ ହେଲି । ଏହି ଶବ୍ଦରେ ବିଷ୍ଣୁପଦ ଘୋଟିଯାଇଥିବ । ଶ୍ରୀଜଗନ୍ନାଥଙ୍କ ଲୀଳା, ଯାହା ମତ୍ତସିଂହର ଠାଣି ତାଙ୍କୁ ଆହା ଦେଖି ପାରିଲି ନାହିଁ । ପ୍ରଭୁଙ୍କ ଭଙ୍ଗିମା ଚାହାଁଣି, ନିଶାକର ମୁଖ, ଦୁଃଖନାଶନକାରୀ ନେତ୍ର, ଚକୋର ସୁଖର ସଦନ ସେଇ ନର ହୃଦ-କୁମୁଦ ମୋଦନକାରୀ ରେ ସଂଗାତ ତାଙ୍କ ଯାତ୍ରା ଉତ୍ସବ ଦେଖି ପାରିଲି ନାହିଁ ।

ଚନ୍ଦ୍ର ଉଜ୍ୱଳ ପର୍ବତରୁ ବିଚିତ୍ର ରଜତ ଶୃଙ୍ଗ ପରାଏ

ଚରାଚର ନାଥ ମଣ୍ଡିବାର ସଞ୍ଚା ମଣ୍ଡପକୁ ଅତିଶୟେ ସେ

ଚକ୍ଷୁ ଭିତରେ ଆସି, ଚାହୁଁ ଚାହୁଁ ଯାଉଅଛ ପଶି ସେ

ଚିନ୍ତାଚକ୍ରକୁ ଦେଉଛି ନାଶି ସେ

ଚିତ୍ତ ବଳେ ନିଅଇ ଆକର୍ଷି ସେ ।୬।

 

ଛାଡ଼ି ଚକା ଅପସର ଚକାଆଖି ଗୁରୁ ଓହ୍ଲାଇବା ବେଳେ

ଛନ୍ଦି ହୋଇ ମୁଁ ପଶି ନ ଦେଖିଲି ଆହା ସେ ମହାଗହଳେ ଯେ

ଛତ୍ର ଚାମର ତ୍ରାସେ, ଛାଇ ହୋଇଥିବ ଚଉପାଶେ

ଛାୟା ତାରାନାଥ ଯହିଁ ବସେ ଯେ

ଛାୟାରେ ମନ ନୟନ ତୋଷେ ସେ ।୭।

ଜଗମୋହନରୁ ଶ୍ରୀ ଜଗମୋହନ ବାହାର ହେଲା ସମୟେ

ଯାଉନାହିଁ ମୋର ମନରୁ ଶ୍ରୀମୁଖ ଯେମନ୍ତ ସେ ଶୋଭାପାଏ ସେ

ଯେଉଁ ସିନ୍ଦୂର ପାଗ, ଯାହା ଦେଖି ହେବ ଅନୁରାଗ ଯେ

ଯୋଗୀ ଯୋଗକରେ ଉଦ୍‌ବେଗ ଯେ

ଯାଉ ଜୀବ ତା ସୁମରି ବେଗ ଯେ ।୮।

ଝୁଲନ୍ତା ମତ୍ତଗଜ ପ୍ରାୟେ ଝୁଲି ସେ ବେନି ପାଶକୁ ଚାହିଁବା

ଝମକିଲା ସିଂହ ପରାଏ ଝମକି ଝଲକି ଯାଇ ରହିବା ସେ

ଝଳି ଚନ୍ଦ୍ରମା ମୁଖ, ଝାଳ ବିନ୍ଦୁକି କର୍ପୂର ରେଖ ଯେ

ଝିମିଟକେ ହରେ କେତେ ଦୁଃଖ ସେ

ଝଟଝଟ ଦିଶେ ପଦ୍ମମୁଖ ସେ ।୯।

ନିଶି ଦିବସ ସମାନ କରି ବିଜେ କରିବା ସ୍ନାନ ମଣ୍ଡପେ

ନୋହିଲା ନୟନ ସଙ୍ଗ ସେ ସୁନ୍ଦର ସ୍ନେହ ଲାଗି ଶୋଭା ରୂପେ ଯେ

ନାନା ଜଳରେ ସ୍ନାନ, ନାଶ କରେ ନାନା ପାପ ମାନ ସେ

ନାହିଁ ଉପମା ଦେବାକୁ ଆନ ଯେ

ନିଶ୍ଚେ କଲା ଚଉବର୍ଗ ଦାନ ସେ ।୧୦।

ଭାବାର୍ଥ- (୬-୧୦) ଚନ୍ଦ୍ରପରି ଉଜ୍ଜ୍ୱଳ ପର୍ବତରୁ ରଜତ ଶୃଙ୍ଗ ପ୍ରାୟ ଜଗତର ନାଥ ସ୍ନାନ ମଣ୍ଡପକୁ ହଲି ହଲି ଆସିବାର ଦୃଶ୍ୟ ଚକ୍ଷୁରେ ଭାସିଯାଉଛି । ତାହା ଚିନ୍ତା ସମୂହକୁ ନାଶ କରୁଛି । ମନକୁ ଆକର୍ଷିତ କରୁଛି । ସିଂହାସନରୁ ଓହ୍ଲାଇଲା ବେଳେ ତୁମର ସେଇ ଚକାଆଖିକୁ ମହାଗହଳ ମଧ୍ୟରେ ପଶି ଦେଖିପାରିଲି ନାହିଁ । ଛତ୍ରଚାମରରେ ଚାରିପାଖରେ ଛାଇ ହୋଇଥିବ ସେଥିରେ ମନ ନୟନକୁ ତୋଷ ଲାଗିବ । ଜଗମୋହନରୁ ଶ୍ରୀଜଗମୋହନକୁ ବାହାରିବା ବେଳେ ଶ୍ରୀମୁଖର ସେଇ ଶୋଭା ମୋର ମନରୁ ଯାଉନାହିଁ । ସେଇ ସୁନ୍ଦର ପାଗ ମନରେ ଅନୁରାଗ ଆଣେ । ଯୋଗୀଜନମାନେ ତାକୁ ନିସ୍ତାର ପାଇବେ । ତାକୁ ସ୍ମରଣ କରି ଏ ଜୀବଯାଉ । ଝୁଲନ୍ତା ମତ୍ତଗଜ ପ୍ରାୟ ଝୁଲି ଝୁଲି ଦୁଇପାର୍ଶ୍ୱକୁ ଚାହିଁବା, ଝମକିଲା ସିଂହପ୍ରାୟ ଝମକି ଝଲକି ଯାଇ ରହିବା ଦୃଶ୍ୟକୁ ଦେଖିଲେ କ୍ଷଣକ ମଧ୍ୟରେ ସବୁ ଦୁଃଖ ଦୁର ହୋଇଯାଏ । ତାଙ୍କର ପଦ୍ମମୁଖ ଝଟଝଟ ଦେଖାଯାଏ । ଦିନରାତି ସମାନ କରି ସ୍ନାନ ମଣ୍ଡପକୁ ପ୍ରଭୁ ବିଜେ କରିବା ଦୃଶ୍ୟ ଦେଖି ପାରିଲି ନାହିଁ । ସେ ସୁନ୍ଦର ରୂପ ଏ ନୟନ ଦେଖି ପାରିଲା ନାହିଁ । ନାନା ଜଳରେ ସ୍ନାନ କଲେ ନାନା ପାପ ଦୂର ହୁଏ । ଏହା ସହିତ ଉପମା ଦେବାକୁ ଅନ୍ୟ କିଛି ନାହିଁ । ସ୍ନାନ ଉତ୍ସବ ଦର୍ଶନ ନିଶ୍ଚୟ ଚଉବର୍ଗ ଫଳ ପ୍ରଦାନ କରିବ ।

ଟେକ କଜ୍ୱଳ ପର୍ବତରୁ ନିର୍ଝର ଝରିଲା ପରାୟେ ହୋଇ

ଟଳି ପଡ଼ନ୍ତେ ଶ୍ରୀମୁଖ ସ୍ନାନ ଜଳ ଟେକି ଅନାଇଲି ନାହିଁ ଯେ

ଟେକ ଚନ୍ଦନ ପଙ୍କ, ଟେକେ ପୂରି ଶ୍ରୀମୁଖ ଶଶାଙ୍କ ଯେ

ଟେକେ ହରିଲା ଭବ ଆତଙ୍କ ଯେ

ଟେକ ପଣେ ସେବନ୍ତି ତ୍ରୈଲୋକ୍ୟ ଯେ ।୧୧।

ଠାଠିକ କରି ଠାକୁର ସ୍ନାନୋତ୍ସବ ଆନନ୍ଦେ ନ କଲି ସେବା

ଠେଲା ଠେଲି ପେଲା ପେଲି ଯହିଁ ପାଇଁ ସକଳ ମାନବ ଦେବା ଯେ

ଠଣ ପଦ୍ମ ନୟନ, ଠିକେ ଦେଖିଲା ନାହିଁ ନୟନ ଯେ

ଠାବ କରନ୍ତା ଗତି ନୟନ ଯେ

ଠୁଳେ ଲଭନ୍ତା ଅନଳ ଦାନ ସେ ।୧୨।

ଡୋଳେ ନ ଦେଖିଲି ପୀତବାସ ଲାଗି ଡାଳିମ୍ବ ନେତ ପଉଛା

ଡେରି ହୋଇଛି ଏବେ ସେ ରୋମମାନ କରିତେ ଦର୍ଶନ ଇଚ୍ଛା ସେ

ଡକା କଲା ଦଇବ, ଡାକି ଦେଲା କେତେ ପରାଭବ ସେ

ଡକା ମୂର୍ଖ କରି ମୋ ସ୍ୱଭାବ ଯେ

ଡିଆଁଇ ବାରେ ନେଲା ମୋ ଭାବ ଯେ ।୧୩।

ଢାଳେ ନ ଦେଖିଲି ନୀଳାଦ୍ରି ସିଂହର ନାନା ପୁଷ୍ପେ ହାତୀ ସଜ

ଢୋକିଲା ଅମୃତ ହାତୁ ନେଇ ମୋତେ ଏହା କଲେ କୁଶଧ୍ୱଜ ଯେ

ଢାଳେ ହୋଇଲି ନାଶ, ଢମ ପଣକୁ ମୁଁ କଲି ଆଶ ଯେ

ଢାଳେ ନ ଚାହିଁଲେ ଜଗଦୀଶ ଯେ

ଢମପଣେ ହୋଇଲି ଆବେଶ ଯେ ।୧୪।

ଆହା ସେ ଫୁଲ ଚୂଳ କର ପଲ୍ଲବ ଆହା ସେ ଅଳକାପନ୍ତି

ଆହା ସେ ଫୁଲ ମାଳ କର ବିସ୍ତାର ହୃଦୟରେ ଜନ୍ତା ଜନ୍ତି ଯେ

ଆହା ସେ ଶୋଭା ଦେଖି, ଅତି ପବିତ୍ର କରନ୍ତି ଆଖି ସେ

ଆନନ୍ଦରେ ହେଉଥାନ୍ତି ସୁଖୀ ସେ

ଆଉ କାହିଁକି ହୁଅନ୍ତି ଦୁଃଖୀ ସେ ।୧୫।

ଭାବାର୍ଥ- (୧୧-୧୫)ରେ ସଙ୍ଗୀତ, କଜ୍ଜଳ ପର୍ବତରୁ ଜଳ ଝରିଲା ପ୍ରାୟ ଶ୍ରୀମୁଖ ସ୍ନାନ ଜଳକୁ ମୁଖ ଟେକି ଦେଖୁପାରିଲି ନାହିଁ । ପ୍ରଭୁଙ୍କ ମୁଖରେ ଚନ୍ଦନ ପୂରି ରହିଥିବା ଦେଖି ସଂସାରର ଦୁଃଖକୁ ପାର ହୋଇଥା’ନ୍ତି । ପ୍ରଭୁଙ୍କ ପାଦତଳେ ସେବା କରିଥା’ନ୍ତି । ଠାକୁରଙ୍କ ସ୍ନାନୋତ୍ସବ ଦେଖିପାରିଲି ନାହିଁ । ତାଙ୍କୁ ପଦ୍ମନୟନକୁ ଏ ପାପଚକ୍ଷୁ ଦେଖୁପାରିଲା ନାହିଁ । ଠାକୁରଙ୍କ ପାଇଁ ଲଗାଯାଉଥିବା ଡାଳିମ୍ବ ନେତ ପଉଛାକୁ ଏ ଆଖିରେ ଦେଖିପାରିଲି ନାହିଁ । ଦର୍ଶନ ଇଛା ଏବେ ଡେରି ହୋଇଛି । ଦଇବ ଡକା କଲା, ଡାକି କେତେ ପରାଭବ ଦେଲା, ମୋ ଭାବକୁ ଡିଆଁଇ ନେଲା-। ପ୍ରଭୁ ନୀଳାଦ୍ରି ସିଂହଙ୍କ ହାତୀ ବେଶ ଦର୍ଶନ ମୋ ଭାଗ୍ୟରେ ଜୁଟିଲା ନାହିଁ । ଢୋକିଲା ଅମୃତକୁ ହାତରୁ ନେଇ ମୋତେ ଏମିତି ଦୁଃଖ ବ୍ରହ୍ମା ଦେଲେ । ଢମ ପଣକୁ ଆଦରି ନାଶ ଗଲି । କ୍ଷଣକ ପାଇଁ ମଧ୍ୟ ପ୍ରଭୁ ମୋତେ ଚାହିଁଲେ ନାହିଁ । ଢମ ପଣ ଯୋଗୁ ଏବେ ଦୁଃଖ ପାଉଛି ।

ରେ ସଙ୍ଗାତ, କେତେ ସୁନ୍ଦର ଫୁଲଚୂଳ, କେଡ଼େ ସୁନ୍ଦର କରପଲ୍ଲବ ଆଉ ସେ ଅଳକାପନ୍ତି । କେତେ ସୁନ୍ଦର ଫୁଲମାଳ ବକ୍ଷରେ ଲମ୍ବିଛି । ସେ ଶୋଭାକୁ ଦେଖିଲେ ମୋର ଚକ୍ଷୁ ପବିତ୍ର ହୁଅନ୍ତା । ଆନନ୍ଦରେ ସୁଖୀ ହେଉଥା’ନ୍ତି । ମନରେ ମୋର ଆଦୌ ଦୁଃଖ ନ ଥା’ନ୍ତା ।

 

ତ୍ରୈଲୋକ୍ୟ ମୋହନ ତାପତ୍ରିଦହନ ମଧୁର ମୂର୍ତ୍ତିକି ଚାହିଁ।

ତ୍ରାହିକର ମହାପ୍ରଭୁ ମହାବାହୁ ବୋଲି ଡାକ ଦେଲି ନାହିଁ ସେ

ତେତେ ସମୟ ଗଲା, ତିନି ତାପ ମୋହର ନ ଗଲା

ତହିଁ ଯେଡ଼େ ଆଶ ମୋର ଥିଲା ସେ

ତେଡ଼େ ଦଇବ ନିରାଶ କଲା ସେ ।୧୬।

ସ୍ଥାବର-ଜଙ୍ଗମ କୀଟ ପତଙ୍ଗ ସେ କାହିଁ ମୁଁ ନୋହିଁଲି ଲେଖା

ଥିଲେ ନ ଦେଖିଲି ଚନ୍ଦ୍ରମା ବଦନ କର୍ପୂର ରେଖ ସେ

ଥିଲା କର୍ମରେ ଏହା, ଥାଇ ପ୍ରାଣେ ନ ଦେଖିଲି ଯାହା ସେ

ଥରେ ପ୍ରଭୁ ହିଁ ନ କଲେ ଦୟା ସେ

ଥାଉଁ ଅମୃତ ବିଷେ ସ୍ଫୁରୁହା ସେ ।୧୭।

ଦୀନଜନ ବନ୍ଧୁ ଦୟଣା ଭୂଷଣ ଦୟାସିନ୍ଧୁ ଜଗନ୍ନାଥ

ଦାଣ୍ଡଯାକ ପୂରି ଦେଖୁଥିବେ ଲୋକ ଆହା ଶଙ୍ଖ ଚକ୍ର ହସ୍ତ ସେ

ଦିବ୍ୟ ସୁବେଶ ଶୋଭା, ଦରଶନେ କେ ନୋହିବ ଲୋଭା ସେ

ଦଶ ଦିଶେ ପୂରୁଥିବ ପ୍ରଭା ସେ

ଦେବତାଙ୍କୁ କରୁଥିବ ଲୋଭା ସେ ।୧୮।

ଧବଳଛତ୍ର ଚାମର ଚନ୍ଦ୍ର ସୂର୍ଯ୍ୟ ତରାସ ମେଗାଡ଼ମ୍ବର

ଧରଣୀଧର ପ୍ରଭୁଙ୍କ ପାଶେ ରହି ଦିଶୁଥିବ ଆଡ଼ମ୍ବର ସେ

ଧନ୍ୟ ସେବକ ଜନେ, ଧରି ଚନ୍ଦନ କେହୁ ବସନେ ସେ

ଧର ଧର ବୋଲି ତୋଷ ମନେ ସେ

ଧୀରେ ଦେଉଥବେ ଯଜମାନେ ସେ ।୧୯।

ନୀଳାଦ୍ରିସିଂହ ଛାମୁରେ ନୃପସିଂହ ପଟୁଆର କରି ରହି

ନିଶାକରକୁ ଚକୋର ପକ୍ଷୀପ୍ରାୟେ ଭୃତ୍ୟଜନେ ଥିବେ ଚାହିଁ ସେ

ନାନା ପ୍ରକାରେ ଗୀତ, ନାନା ବାଦ୍ୟ ନାନା ରଙ୍ଗେ ନୃତ୍ୟ ସେ

ନୀରନିଧି ଉଛୁଳିବା ମତ ସେ

ନିରନ୍ତରେ ହେବାକୁ ଏକତ୍ୱ ସେ ।୨୦।

ଭାବାର୍ଥ- (୧୬-୨୦) ତ୍ରିଲୋକର ମୋହନ ତ୍ରିତାପ ଦହନକାରୀ ପ୍ରଭୁ ଜଗନ୍ନାଥଙ୍କ ସୁନ୍ଦର ମୂର୍ତ୍ତିକୁ ଚାହିଁ ହେ ମହାବାହୁ ମହାପ୍ରଭୁ ତ୍ରାହି କର ବୋଲି ଡାକ ଦେଇପାରିଲି ନାହିଁ । ମୋର ବଡ଼ ଆଶା ଥିଲା ତିନି ତାପ ନଷ୍ଟ ହେବ; କିନ୍ତୁ ତାହା ହୋଇପାରିଲା ନାହିଁ । ଦଇବ ନିରାଶ କଲା ।

ମୋ ଜୀବନ ଧିକ୍ । ସ୍ଥାବର, ଜଙ୍ଗମ, କୀଟ, ପତଙ୍ଗ ମଧ୍ୟରୁ କେଉଁଥିରେ ମୁଁ ଗଣା ହେଲି ନାହିଁ । ପ୍ରଭୁ ପାଖରେ ଥିଲେ ଅଥଚ ତାଙ୍କ ଚନ୍ଦ୍ରମା ବଦନ ଦେଖୁପାରିଲି ନାହିଁ । ଏହା ମୋ କର୍ମରେ ଥିଲା । ଜୀବନରେ ଥାଇ ଯାହା ତାଙ୍କୁ ଦେଖି ପାରିଲି ନାହିଁ । ଥରେ ହେଲେ ପ୍ରଭୁ ଦୟା କଲେ ନାହିଁ-। ଅମୃତ ଥାଉଁ ଥାଉଁ ବିଷରେ ଯାହା ସ୍ପୃହା ଜାତ ହେଲା । ଦୀନଜନବନ୍ଧୁ, କୃପାସାଗର ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବଡ଼ ଦାଣ୍ଡରେ ପ୍ରବଳ ଜନଗହଳି ହୋଇଥିବ । ପ୍ରଭୁଙ୍କ ହସ୍ତରେ ଶଙ୍ଖ, ଚକ୍ର ଓ ସୁବେଶ ଦେଖି ଲୋକେ ମୁଗ୍‍ଧ ହୋଇଥିବେ । ତାଙ୍କର ଅପୂର୍ବ ଶୋଭା ଦେଖୁବାକୁ କା ମନ ଲୋଭିତ ନ ହେବ ? ତାଙ୍କର ପ୍ରଭା ଦଶଦିଗରେ ଉଦ୍‍ଭାସିତ ହୋଇ ଦେବଗଣଙ୍କୁ ମଧ୍ୟ ଆକର୍ଷିତ କରୁଥିବ । ଧବଳଛତ୍ର, ଚାମର ଚନ୍ଦ୍ର, ସୂର୍ଯ୍ୟର ଶୋଭା ପ୍ରକାଶ କରୁଥିବ । ଧନ୍ୟ ସେ ସେବକ ଗଣ-। ଧରଣୀଧର ପ୍ରଭୁଙ୍କ ପାଖରେ ରହି ଶୋଭା ଦେଖାଯାଉଥିବେ । ପ୍ରଭୁଙ୍କ ସମ୍ମୁଖରେ ରାଜା ପଟୁଆର କରି ଆସିଥିବେ । ଚନ୍ଦ୍ରକୁ ଚକୋର ଚାହିଁ ରହିଥିବା ଭଳି ଭକ୍ତମାନେ ପ୍ରଭୁଙ୍କୁ ଚାହିଁଥିବେ । ନାନା ପ୍ରକାର ଗୀତ ନୃତ୍ୟରେ ସମୁଦ୍ରରେ ଲହରୀ ଉଚ୍ଛୁଳିଲା ପରି ଦେଖାଯାଉଥିବ ।

ପୋଡ଼ୁ ପୋଡ଼ୁ ମୋର ପାପିଷ୍ଠ କରମ ଧିକ ଧିକ ମୋ ଜୀବନ

ପଦ୍ମଲୋଚନ ଧୂପ ଦୀପ ଆଳତି କରି ନାହିଁ ଦରଶନ ସେ

ପରମାନନ୍ଦ ସୁଖ, ପରଶରେ ଯେ ପଳାନ୍ତା ଦୁଃଖ ସେ

ପୁଷ୍ପକରେ ଯେହ୍ନେ ଶିଳୀମୁଖ ସେ

ପାଇବାକୁ ନାହିଁ ମୋର ସୁଖ ସେ ।୨୧।

ଫୁଲଚୁଳମାଳ ଉଲାଗି କରି ସେ ସେବକ ଆଶେ ମିଶିବା

ଫଳଭର ମହାକଳାପ ବୃକ୍ଷକୁ ବୋହିବା ପାୟେ ଦିଶିବା ସେ

ସ୍ଫୁରୁ ଅଛି ଲୋଚନେ, ଫଣୀଧର ଧରେ ଯାହା ଧ୍ୟାନେ ସେ

ପାଇଁ ଦୁଃଖ ଗଲା ଥିଲା ମନେ ସେ

ଫନ୍ଦା କରିଛି ହୃଦସଦନେ ସେ ।୨୨।

ବାମଦେବ କଇଳାଶ ପର୍ବତରୁ ଓହ୍ଲାଇଲା ପ୍ରାୟେ ହୋଇ

ବାହୁଡ଼ା ବିଜେ କରିବା ନ ଦେଖିଲି ରେବତୀଙ୍କ ପ୍ରାଣସାଇଁ ସେ

ବନ୍ଦାପନା ବଢ଼ାଇ, ବେନିପାଶକୁ ହସି ଅନାଇ ସେ

ବାଞ୍ଛାପୂର୍ଣ୍ଣ ଜନକୁ କରାଇ ସେ

ବଡ଼ ଦେଉଳେ ପଶିଲେ ଯାଇ ସେ ।୨୩।

ଭଦ୍ର ଦାୟିନୀ ସୁଭଦ୍ରାଙ୍କ ବିଜୟେ ଝଟକ ବିଜୁଳି ପ୍ରାୟେ

ଭଲା ଛଟକେ ଅଦୃଶ୍ୟ ହୋଇଥିବେ ଗୁଣ୍ଡିଚା ଉତ୍ସବ ଯାଏ ହେ

ଭଲା ଭଲା ସେ ଛବି, ଭକ୍ତଜନ ମନ ପଦ୍ମ ରବି ସେ

ଭବଭୟ ପର୍ବତକୁ ପବି ସେ

ଭଲା ଥିଲା ସେ ଛବିକି ଭାବି ସେ ।୨୪।

ମର୍କତ ପର୍ବତେ ସୂର୍ଯ୍ୟ ଉଦୟେ ମହାପ୍ରଭୁ ଥିବେ ରହି

ମହାମେଘକୁ ଚାତକ ପକ୍ଷୀ ପ୍ରାୟ ଭୃତ୍ୟ ମାନେ ଥିବେ ଚାହିଁ ସେ

ମାଳ ଚୂଳ ଉତ୍ତାରି, ମନନେତ୍ର ଆନନ୍ଦ ବିସ୍ତାରି ସେ

ମହାମହୋତ୍ସବ ଥିବେ କରି ସେ

ମହାକଷ୍ଟୁ ଲୋକଙ୍କୁ ନିସ୍ତାରି ସେ ।୨୫।

ଭାବାର୍ଥ- (୨୧-୨୫) ରେ ସଙ୍ଗାତ, ମୋ କର୍ମଧିକ୍‍ । ଧିକ୍‍ ମୋ ଜୀବନ । ମୋର ପାପିଷ୍ଠ ଜନ୍ମକୁ ଧିକ୍‍ । ପ୍ରଭୁଙ୍କ ଧୂପ, ଦୀପ, ଆଳତି ଦର୍ଶନ କରି ପାରିଲି ନାହିଁ । ପ୍ରଭୁଙ୍କ ଦର୍ଶନ, ସ୍ପର୍ଶରେ ଜୀବନର ସବୁ ପାପ ନଷ୍ଟ ହୋଇଯାଆନ୍ତା । ସେ ସୁଖ ପାଇବା ମୋ ଭାଗ୍ୟରେ ନାହିଁ । ଫୁଲମାଳ ଧରି ପ୍ରଭୁଙ୍କୁ ସେବା କରିବା ଛଳରେ ମୁଁ ତାଙ୍କୁ ଦେଖିଥା’ନ୍ତି । ଚକ୍ଷୁ ଆଗରେ ମୋର ସେଇ ଦୃଶ୍ୟ ନାଚୁଛି । ସବୁ ଦୁଃଖକୁ ମନ ମଧ୍ୟରୁ ପାସୋରି ଦେଲି । ବାମଦେବ କୈଳାସ ପର୍ବତରୁ ଓହ୍ଲାଇଲା ପ୍ରାୟ ହୋଇ ଆସି ବାହୁଡ଼ା ବିଜେ କରିବା ଚକ୍ଷୁରେ ଦେଖିପାରିଲି ନାହିଁ ।

ରେ ସଙ୍ଗାତ, ଭଦ୍ରଦାୟିନୀ ସୁଭଦ୍ରାଙ୍କ ବିଜେ ବିଜୁଳି ପ୍ରାୟ ଝଟକୁଛି । ଗୁଣ୍ଡିଚା ଉତ୍ସବ ଶେଷ ଯାଏଁ ଭଲା ଛଟକରେ ସେ ଅଦୃଶ୍ୟ ହୋଇଯିବେ । ବଡ଼ ସୁନ୍ଦର ସେ ଛବି । ଭକ୍ତ ଜନର ମନ ପଦ୍ମ ସେ । ଭବଭୟ ପର୍ବତକୁ ବଜ୍ର ସଦୃଶ । ମର୍କତ ପର୍ବତରେ ସୂର୍ଯ୍ୟ ଉଦୟ ସମୟରେ ମହାପ୍ରଭୁ ରହିଥିବେ । ମେଘକୁ ଚାତକ ପକ୍ଷୀ ଚାହିଁଲା ପରି ଭୃତ୍ୟ ମାନେ ଚାହିଁ ରହିଥିବେ । ଜଗତର ଜନଙ୍କୁ ଦର୍ଶନ ଦେବା ପାଇଁ ମହାମହୋତ୍ସବରେ ସେ ଧରାପୃଷ୍ଠକୁ ଆସିଛନ୍ତି । ଲୋକଙ୍କୁ ମହାକଷ୍ଟରୁ ନିସ୍ତାର କରିବେ ।

ଯାବତ ବ୍ରହ୍ମାଣ୍ଡ ପତିଙ୍କି ଭୃତ୍ୟେ ଯେ ଚକା ଛଡ଼ାଇବା ବେଳେ

ଜଗତଯାକ ଉଛୁଳି ପଡ଼ୁଥିବ ଜୟ ଶବଦ ଗହଳେ ସେ

ଯେଉଁ ସୁଖ ସେ କାଳେ, ଯୋଗୀ ନ ଜାଣନ୍ତି ଯୋଗବଳେ ସେ

ଜୀବ ପରମକୁ ଘେନି ଖେଳେ ସେ

ଜାଣିଥିବ ଯେ ଦେଖିଛି ଡୋଳେ ସେ ।୨୬।

ରଜତ ଗିରି ଶିଖରୁ ମତ୍ତଗଜ ପଡ଼ିଲା ପରାୟେ ହୋଇ

ରାଜୀବଲୋଚନ ବିଜୟେ ଭୃତ୍ୟକୁ ଶ୍ରୀଭୁଜ ପଇଠ ଦେଇ ସେ

ରହି ଦକ୍ଷିଣେ ମୁଖେ, ରଙ୍ଗେ ବନ୍ଦାପନା ହେବା ସୁଖେ ସେ

ରଖି ସେବକ ଜନକୁ ପାଖେ ସେ

ରହିଥିବେ ଯେ ଯାହାର ସୁଖେ ସେ ।୨୭।

ଲାବଣ୍ୟ ବାରାନିଧି ବିଜୟେ ସୁଧା ଜଳଧିରେ ପଡ଼ି ଜନେ

ଲୋଳାଇତ ହୋଇ ସ୍ନାନ କରୁଥିବେ ପରମ ଆନନ୍ଦ ମନେ ସେ

ଲୀଳା ଏବେ ସୁମରି, ଲୋଭେ ହୃଦୟ ହେଉଛି ଘାରି ସେ

ଲୋତକରେ ନେତ୍ର ଅଛି ପୂରି ସେ

ଲକ୍ଷେଗୁଣେ ରୋମ ହୁଏ ଭାରି ସେ ।୨୮।

ବାହାକୁ ବାହା ହିଆକୁ ହିଆଭରା ପିଠିକି ପିଠିକେ ଦେଇ

ବିଚିତ୍ର ଗତି କରିବାକୁ ହୁଙ୍କାର ଧ୍ୱନିମାନ ଥିବ ହୋଇ ସେ

ବିଷ୍ଣୁପଦ ଶବଦ, ବ୍ରହ୍ମାଣ୍ଡରେ ବାଜି ପ୍ରତିବାଦ ସେ

ବିନା ଶିବ ସଂସାର ପ୍ରମାଦ ସେ

ବିଷ୍ଣୁପଦ କରୁଥିବ ଭେଦ ସେ ।୨୯।

ଶ୍ରୀଅଙ୍ଗ ସୁବାସପୂରି ଦଶଦିଶ ସବୁରି ମନ ତୋଷିବା

ସୁଧା ସିନ୍ଦୁ ପ୍ରାୟେ ସ୍ୱର୍ଗରୁ ସଭିୟେ ଫୁଲମାନ ବରଷିବା ସେ

ଶୋଭା କହିବି କେତେ, ସିନ୍ଧୁ ଲହରୀ କଳି କି ଯେତେ ସେ

ସୁରମାର୍ଗ ବୋଲି ଏତେ ଏତେ ସେ

ସବୁ ପ୍ରକାରେ ହେଁ ନୋହେ ପ୍ରତେ ସେ ।୩୦।

ଭାବାର୍ଥ- (୨୬-୩୦) ରେ ସଙ୍ଗାତ, ଭକ୍ତଜନମାନେ ବ୍ରହ୍ମାଣ୍ଡ ପତିଙ୍କୁ ହାତ ଟେକି ଜୁହାର କଲାବେଳେ ସମଗ୍ର ଜଗତ ଜୟଜୟକାର ଧ୍ୱନିରେ ଉଛୁଳି ପଡ଼ିବ । ସେ ସମୟରେ ଯେଉଁ ସୁଖ ଆନନ୍ଦ ମିଳିବ, ଯୋଗବଳରେ ଯୋଗୀ ଜନ ମଧ୍ୟ ପାଇପାରିବେ ନାହିଁ । ପରମ ଲୀଳାମୟ ପ୍ରଭୁ ଜୀବ ପରମକୁ ଘେନି ଖେଳୁଛନ୍ତି । ଏହା ଯିଏ ଚକ୍ଷୁରେ ଦେଖିଛି, ସେ ହିଁ ଜାଣିଥିବ । ରୁପାର ଗିରି ଶିଖରରୁ ମତ୍ତ ହସ୍ତୀ ପଡ଼ିଲା ପ୍ରାୟ, ଭକ୍ତର ବାହୁକୁ ଆଶ୍ରା କରି ଜଗନ୍ନାଥ ବିଜେ କରୁଛନ୍ତି । ସେବକ ଜନକୁ ପାଖରେ ଆଶ୍ରୟ ଦେଇଛନ୍ତି । ଭକ୍ତମାନେ ଯେ ଯାହାର ସୁଖରେ ରହିଥବେ । ଅମୃତ ସାଗରରେ ଭକ୍ତଜନମାନେ ଆନନ୍ଦ ମନରେ ସ୍ନାନ କରୁଥିବେ । ଭଗବାନଙ୍କ ଲୀଳା ସୁମରଣା କରି ଲୋଭରେ ହୃଦୟ ଘାରି ହେଉଛି । ଚକ୍ଷୁ ଲୋତକରେ ପୂରି ଉଠୁଛି । ରୋମରାଜି ଲକ୍ଷ ଗୁଣରେ ଭାରି ହୋଇ ଉଠୁଛି । ବାହାକୁ ବାହା, ହୃଦୟକୁ ହୃଦୟ, ପିଠିକୁ ପିଠିରେ ଦେଇ ଭକ୍ତମାନେ ଜୟଜୟକାର ଧ୍ୱନି ଦେଉଥିବେ । ବିଷ୍ଣୁପଦ ଶବ୍ଦରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପ୍ରତିଧ୍ୱନିତ ହେଉଥିବ । ଜଗନ୍ନାଥଙ୍କ ଜୟ ଧ୍ୱନିରେ ସଂସାରର ସବୁ ଦୁଃଖ ଦୂର ହୋଇଯିବ । ପ୍ରଭୁଙ୍କ ଶ୍ରୀଅଙ୍ଗରେ ଗନ୍ଧଚନ୍ଦନର ସୁବାସରେ ପୂରି ଉଠି ଦଶଦିଗରେ ସମସ୍ତଙ୍କ ମନକୁ ତୋଷ କରିବ । ସ୍ୱର୍ଗରୁ ସମସ୍ତେ ଅମୃତ ବିନ୍ଦୁ ପ୍ରାୟ ଫୁଲ ବରଷିବେ । ସେ ଶୋଭାକୁ କେତେ ମୁଁ ବର୍ଣ୍ଣିପାରିବି ? ସମୁଦ୍ରର ଲହରୀକୁ କେ କଳି ପାରିବ ? କହିଲେ ବିଶ୍ୱାସ ଯୋଗ୍ୟ ବି ହେବ ନାହିଁ ।

ସିଂହ ପର୍ବତ କନ୍ଦରରେ ପ୍ରବେଶ ପରାୟେ ଅତି ସତ୍ୱରେ

ଶ୍ରୀଜଗମୋହନ ବିଜେ କରୁଥିଲେ ଶ୍ରୀଜଗମୋହନ ପୁରେ ସେ

ସୁଧାକର ଯେମନ୍ତ, ଶ୍ୱେତ ମେଘେ ହୁଏ ଅବିଦିତ ସେ

ସେହି ରୂପରେ ସେ କମଳାକାନ୍ତ ଯେ

ଶୀଘ୍ରେ ହୋଇଲେ ଅନ୍ତରହିତ ସେ ।୩୧।

ସକଳ ବ୍ରହ୍ମାଣ୍ଡ ଜନେ ସବୁ ସୁଖ ଶ୍ରୀ ଗୋପୀନାଥ ଯେ ଦେଇ

ଶୁଭେ ବିଜେ କଲେ ଅଣଅପସରେ ଛାମୁ ତାଟିକି ବନ୍ଧାଇ ସେ

ସ୍ନାନଯାତ୍ରା ହିଁ ଗଲା ଶ୍ରୀଗୁଣ୍ଡିଚା ନିକଟ ହୋଇଲା ସେ

ସବୁଆଡ଼େ ଚହଳ ପଡ଼ିଲା ସେ

ସଜ ହେବାକୁ ସବୁ ଅଇଲା ସେ ।୩୨।

ହୃଦୟ ଏତେବେଳେ ଯାହା ହେଉଛି ତାହାକୁ କହିବି ତାହା

ହରି ବାହାରେ ଏ ଦୁଃଖ ଫେଡ଼ିବାକୁ ଆଉ କେହି ନାହିଁ ସାହାରେ

ହାନିଲାଭ କରତା, ହେଲେ ପରମପଦ ବିଧାତା ସେ

ହର ବ୍ରହ୍ମାଦି ଦେବ ଦେବତା ସେ

ହେବ ସତେ ପ୍ରଭୁ ପ୍ରସନ୍ନତା ସେ

ହରେ ଦେବେଶ ସୁଖ ଦିଅନ୍ତା ହେ ।୩୩।

କ୍ଷମା ସାଗର ନାଗରବର ପ୍ରଭୁ ଆହେ ନାଥ କୃପାକର।

ଛଛନ୍ଦେ ନନ୍ଦିଘୋଷ ରଥେ ବିଜୟେ ଦରଶନ ଦତ୍ତ କର ସେ

କ୍ଷେତ୍ରବରକୁ ନେଇ, ଛାର କ୍ଷୋଭ ମନରୁ ଛଡ଼ାଇ ସେ

କ୍ଷମେ ନେତ୍ର ଉତ୍ସବ କରାଇ ସେ

ଛାମୁ କ୍ଷଣେ ଛଡ଼ାଇବ ନାହିଁ ସେ

କ୍ଷମେ ଦୀନକୃଷ୍ଣ ଦାସ କହି ସେ ।୩୪।

ଭାବାର୍ଥ- (୩୧-୩୪) ରେ ସଙ୍ଗାତ, ପର୍ବତ ଗୁହାରେ ସିଂହ ପ୍ରବେଶ କରିବା ପ୍ରାୟ ପ୍ରଭୁ ଶ୍ରୀଜଗମୋହନ ଶ୍ରୀ ଜଗମୋହନ ପୁରରେ ପ୍ରବେଶ କଲେ । ଧଳା ମେଘରେ ଚନ୍ଦ୍ର ଯେପରି ଅବିଦିତ ହୋଇଥା’ନ୍ତି, ସେପରି ପ୍ରଭୁ କମଳାକାନ୍ତ ଶୀଘ୍ର ଅନ୍ତର୍ହିତ ହୋଇଗଲେ । ସକଳ ବ୍ରହ୍ମାଣ୍ଡ ଜନକୁ ସବୁ ସୁଖ ଦେଇ ପ୍ରଭୁ ଜଗନ୍ନାଥ ଅଣବସର ମଣ୍ଡପକୁ ବିଜେ କଲେ । ସ୍ନାନଯାତ୍ରା ଗଲା । ଶ୍ରୀଗୁଣ୍ଡିଚା ଉତ୍ସବ ପାଖେଇ ଆସିଲା । ସବୁଆଡ଼େ ଚହଳ ପଡ଼ିଲା । ରେ ସଙ୍ଗାତ, ଏତିକିବେଳେ ହୃଦୟରେ ଯାହା ଘଟୁଛି, ମୁଁ ତାହାକୁ କହିବି, ତା’ ବିନା ଏ ଦୁଃଖ ଫେଡ଼ିବାକୁ ସଂସାରରେ ଆଉ କେହି ନାହିଁ । ସେ ମୋର ଏକମାତ୍ର ସାହା । ହାନିଲାଭ କର୍ତ୍ତା, ପରମପଦ ବିଧାତା, ହରବ୍ରହ୍ମାଦି ଦେବ ଦେବତାଙ୍କ ପ୍ରଭୁ ସେ । ସତେ କ’ଣ ପ୍ରଭୁଙ୍କର କୃପା ମୁଁ ପାଇବି ? ସେ ମୋର ଦୁଃଖ ହରି ସୁଖ ଦେବେ ।

ହେ କ୍ଷମା ସାଗର ନାଗରବର ପ୍ରଭୁ, ହେ ନାଥ କୃପାକର । ସ୍ଵଚ୍ଛନ୍ଦରେ ନନ୍ଦିଘୋଷ ରଥରେ ବିଜେ କରି ମୋତେ ଦର୍ଶନ ଦିଅ । ନେତ୍ର ଉତ୍ସବ କରାଇ, ମୋତେ ଛାମୁ ଦର୍ଶନରୁ କ୍ଷଣିକ ପାଇଁ ମଧ୍ୟ ବଞ୍ଚିତ କରନାହିଁ ।

Image